Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 29/07/2025, ବିକ୍ରମ ଓଡ଼ିଶା ନିୟୁଜ: ଅସୁରକ୍ଷିତ ଅସ୍ତରଙ୍ଗ ଭଉଁରିଆ ସେତୁନଈଗୁଆଁ ଦେଇ ଚଳାଚଳ କରିବ ଭାରି ଯାନ

କାକଟପୁର ୨୯।୭ (ତୁଷାର ଦୀକ୍ଷିତ ):ପୁରୀ ଜିଲ୍ଲା କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ ଅସ୍ତରଙ୍ଗ ଭଉଁରିଆ ସେତୁ ଭାରି ଯାନ ଚଳାଚଳ ପାଇଁ ଅସୁରକ୍ଷିତ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯିବା ପରେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ସ୍ଥାନରେ ନୂତନ ସେତୁ ନିର୍ମାଣ ନହେବା ପର୍ଯ୍ୟନ୍ତ ସାମୟିକ ଭାବେ ଭାରି ଯାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି।ଏଣିକି କାକଟପୁର ଦିଗରୁ ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର,ନଗର ଓ ଆଳସାହି ପ୍ରଭୃତି ପଞ୍ଚାୟତକୁ ଯିବାକୁ ଥିବା ଚାରି ଚକିଆ ଭାରି ଯାନ ଅସ୍ତରଙ୍ଗ ମୁଖ୍ୟାଳୟ ଭଉଁରିଆ ସେତୁ ଉପରେ ନଯାଇ ଅସ୍ତରଙ୍ଗ - କାକଟପୁର ମୁଖ୍ୟରାସ୍ତାର ଜିଉନ୍ତି ଛକ ଠାରୁ ନଈଗୁଆଁ - ଖଣ୍ଡାସାହି କ୍ଲାସ ରୋଡ ଦେଇ ନଈଗୁଆଁ ଓ ବେଗୁନିଆବସ୍ତ ଗ୍ରାମ ମଧ୍ୟରେ ଯାଇ ଅସ୍ତରଙ୍ଗ - ଆଳଙ୍ଗପୁର ମୁଖ୍ୟ ରାସ୍ତାରେ ପହଞ୍ଚିବ। ଏ ସଂପର୍କରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି। ନଈଗୁଆଁ ଗ୍ରାମ ଦେଇ ଭାରି ଯାନ ଚଳାଚଳ ସୁଗମ କରିବା ପାଇଁ ଆଜି ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବିଡିଓ ସୁଶ୍ରୀ ସସ୍ମିତା ବେହେରା ଓ ବିଭାଗୀୟ ଏସଡିଓ ତ୍ରିଲୋଚନ ପାତ୍ର ପ୍ରମୁଖ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଗ୍ରାମ୍ୟ କମିଟି ଓ ଗ୍ରାମର ମୂରବୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି।ଆଲୋଚନା ମୁତାବକ ଗାଁ ମଧ୍ୟରେ ଯାଇଥିବା ରାସ୍ତାର ଯେଉଁ କିଛି ଅଂଶ ଜବରଦଖଲ ଅଛି ଗ୍ରାମବାସୀଙ୍କ ସହଯୋଗରେ ପ୍ରଶାସନ ପକ୍ଷରୁ ମାପଚୁପ ପରେ ଗ୍ରାମ୍ୟ ରାସ୍ତା ସମ୍ପ୍ରସାରଣ କରାଯିବ। ଗ୍ରାମର ସଭାପତି ପବିତ୍ର ମୁଦୁଲି,ପ୍ରଫୁଲ୍ଲ ଜେନା,ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଖୁଣ୍ଟିଆ, କାଶୀନାଥ ଦାଶ,ଦେବେନ୍ଦ୍ର ପ୍ରଧାନ,ଅନାମ ସାହୁ,ସମ୍ପଦ ତ୍ରିପାଠୀ,ପ୍ରଦୀପ ବିଶ୍ବାଳ,ଗନ୍ଧର୍ବ ବଳ ,ଶଙ୍କର ମହାନ୍ତି,ଯୁଗଳ ଲେଙ୍କା, ବିପିନ ବିଶ୍ବାଳ ଓ ପ୍ରଭାତ ସେଠୀ ପ୍ରମୁଖଙ୍କ ସମେତ ସମସ୍ତ ମୁରବି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗତ ଶୁକ୍ରବାର ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା, କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ଶ୍ରୀ ପାତ୍ର,ଅସ୍ତରଙ୍ଗ ତହସିଲଦାର ଶ୍ରୀମତୀ ପତି, ବିଡ଼ିଓ ସୁଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ରହି ୧୯୭୨ ମସିହାରେ ନିର୍ମିତ ପୁରୁଣା ଭଉଁରିଆ ସେତୁର ସ୍ଥିତି ଅନୁଧ୍ୟାନ କରିଥିଲେ।ଏବେ ପୁରୁଣା ସେତୁ ନିକଟରେ ଏକ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି।ଆସନ୍ତା ଏକ ବର୍ଷ ମଧ୍ୟରେ ସେତୁ ନିର୍ମାଣ ପୂର୍ଣ୍ଣାଙ୍ଗ ହେବ ବୋଲି ବିଭାଗ ଆକଳନ କରିଛି।ଏହି ସେତୁ ଉପରେ ଚାରିଗୋଟି ପଞ୍ଚାୟତର ପ୍ରାୟ ୫୦ ହଜାର ଜନସାଧାରଣ ଯାତାୟାତ ପାଇଁ ନିର୍ଭର କରିଥାନ୍ତି।