Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ଚିକିତ୍ସା ରେ ଅବହେଳା , ପୁଣି ଏକ ନିଷ୍ପାପ ଶାରୀରିକ ଭିନ୍ନକ୍ଷମ ଶିଶୁ ଜନ୍ମତିର୍ତ୍ତୋଲ-୧୭/୬-ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭାରତର ସମୁନ୍ନତି କୁ ଅସ୍ବୀକାର କରାଯାଇନପାରେ । ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ତାର ସ୍ଵତନ୍ତ୍ରତାକୁ ବଜାୟ ରଖିଛି। ଏଥି ପାଇଁ ଉଚ୍ଚସ୍ତରୀୟ ଗବେଷଣା ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଆବିଷ୍କାର ସ୍ବାସ୍ଥ୍ୟ ସେବାକୁ ସହଜ ଓ ସୁଗମ କରି ପାରିଛି । ତଥାପି ବେଳେବେଳେ ଚିକିତ୍ସକଙ୍କ ବେପରୁଆ ମନୋଭାବ ଓ ସାମାନ୍ୟ ଅସାବଧାନତା ଯୋଗୁଁ ବ୍ୟକ୍ତିର ଅଶେଷ କ୍ଷତି ସାଧିତ ହୋଇଥାଏ ।

ଏହାର ସଦ୍ୟତମ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ଗରଦ ପୁର, ବେଡ଼ାରୀ ଗ୍ରାମର ସରିତା ଦାସ, ସ୍ବାମୀ ସରୋଜ କୁମାର ଦାସଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଛି ।ସରିତା ଦାସ ୨ୟ ଥର ଗର୍ଭ ଧାରଣ ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଟକୁରା ରେ ନିୟମିତ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ହେଇଆସୁଥିଲେ ।ଗର୍ଭସ୍ଥ ଶିଶୁର ନିୟମିତ ଯାଞ୍ଚ୍ ନିମନ୍ତେ କଟକ ସ୍ଥିତ ଭାସ୍କର କ୍ଲିନିକ୍ ରେ ନିୟମିତ ବ୍ୟବଧାନରେ ୩ଥର ଅଲଟ୍ରସାଉଣ୍ଡ କରିବା ପରେ ଗର୍ଭସ୍ଥ ଶିଶୁଟି ଶାରୀରିକ ଭିନ୍ନକ୍ଷମ ଜଣା ନପଡ଼ିବା ଚିକିତ୍ସା ବିଜ୍ଞାନକୁ ତଥା ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ଯନ୍ତ୍ରାଂଶକୁ ଉପହସିତ କରୁଛି । ଏଠାରେ ସ୍ମରଣ ଯୋଗ୍ୟ କୌଣସି କାରଣରୁ ଗର୍ଭସ୍ଥ ଶିଶୁଟି ଭିନ୍ନକ୍ଷମ ବର୍ଗର ଜଣାପଡିଲେ ତାକୁ ନଷ୍ଟ କରିବାର ସାମ୍ବିଧାନିକ ବିଧି ବ୍ୟବସ୍ଥା ରହିଛି। ଏ କ୍ଷେତ୍ରରେ ଅଭିଜ୍ଞ ଡାକ୍ତର ଓ ଅଲଟ୍ରାସାଉଣ୍ଡ ମେସିନ୍ ର ବେପରୁଆ ତଥ୍ୟ ସରିତାଙ୍କ ଜୀବନକୁ ଅନ୍ଧକାରକୁ ଠେଲିଦେବା ସହ ଜୀବନ ସାରା ଏକ ଶାରୀରିକ ଭିନ୍ନକ୍ଷମ କନ୍ୟା ସନ୍ତାନର ବୋଝ କିପରି ମୁଣ୍ଡାଇବେ ତାହା ଏବେ ପ୍ରଶ୍ନ ବାଚୀ ହୋଇଛି । ସରିତାଙ୍କ ସମ୍ପର୍କରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଜାଣିବା ପରେ ସରିତାଙ୍କୁ ଭେଟି , ତାଙ୍କ ପରିବାର ବର୍ଗକୁ ସାନ୍ତ୍ଵନା ଦେବା ସହ କନ୍ୟା ସନ୍ତାନର ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ ସ୍ତରରେ ଯାହା ଯାହା ସୁବିଧା ସୁଯୋଗ ରହିଛି ସେ ସବୁକୁ ପୂରଣ କରିବା ପାଇଁ ଯଥା ସାଧ୍ୟ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଲେ । ଆଗାମୀ ଦିନରେ ପ୍ରାଶାସନିକ କ୍ଷେତ୍ରରେ ଭିନ୍ନକ୍ଷମ କନ୍ୟା ସନ୍ତାନର ଭିବିଷ୍ୟତ ପାଇଁ ସେପରି କିଛି ଉଦ୍ୟମ ଯଦି କରାନଯାଏ ତେବେ ଜିଲ୍ଲା ଖାଉଟି ଅଦାଲତ ଜରିଆରେ ସଂପୃକ୍ତ ଡାକ୍ତର ଓ ଅଲଟ୍ରାସାଉଣ୍ଡ କ୍ଲିନିକ୍ ବିପକ୍ଷରେ ମକଦ୍ଦମା ଦାୟର କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ପରି ଅନ୍ୟ ଏକ ଜଇପୁର କୋଲର୍ ଅଞ୍ଚଳର ସମସ୍ୟା ସମ୍ପର୍କରେ ଶ୍ରୀମତୀ ଆଚାର୍ଯ୍ୟଙ୍କ ଦ୍ଵାରା ଜିଲ୍ଲା ଖାଉଟି ଅଦାଲତରେ ମକଦ୍ଦମା ଦାୟର କରାଯାଇ ଭିନ୍ନକ୍ଷମ ଶିଶୁପୁତ୍ରକୁ ଯଥେଷ୍ଟ କ୍ଷତି ପୂରଣ ଦେବାରେ ସଫଳ ହୋଇପାରିଥିଲେ , ଯାହା ସେତେବେଳେ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିପାରିଥିଲା । ଶ୍ରୀମତୀ ଆଚାର୍ଯ୍ୟଙ୍କର ଏପରି ନିଃସ୍ଵାର୍ଥପର କାର୍ଯ୍ୟକୁ ସେତେବେଳେ ବୁଦ୍ଧଜୀବୀମାନେ ଅନେକ ପ୍ରଶଂସା କରିଥିଲେ ।