ତିର୍ତ୍ତୋଲ, 20/11/2025, ବିକ୍ରମ ଓଡ଼ିଶା ନିୟୁଜ: ମାନସିକ ରୋଗୀଙ୍କ ପାଇଁ ମଦର ଟେରେସା ପାଲଟିଛନ୍ତି ସ୍ନେହମୟୀ : ଲୁହା ଶିକୁଳିରେ ବନ୍ଧା ମାନସିକ ବିକୃତ ଝିଅର ଚିକିତ୍ସା ନିମନ୍ତେ ପ୍ରୟାସ ତିର୍ତ୍ତୋଲ-୨୦/୧୧-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା ତଥା ଶିଳ୍ପ ଓ ବନ୍ଦର ସହର ପାରାଦୀପରେ ଯେଉଁଠି ଅସହାୟ ମାନସିକ ବିକାରଗ୍ରସ୍ତ ଓ ଅବହେଳିତ ବୃଦ୍ଧ ଓ ବୃଦ୍ଧା ଙ୍କୁ ସରକାରୀ ସହଯୋଗ ଓ ସହାୟତା ମିଳିପାରୁନି, ସେଠାରେ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ନିଜସ୍ୱ ପ୍ରାୟସରେ ସେମାନଙ୍କ ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରାଇ ଆଦର୍ଶ ପାଲଟିଛନ୍ତି l ଏହିପରି ଏକ ଘଟଣାକ୍ରମରେ ପାରାଦୀପ ପୌରପାଳିକା ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ସଞ୍ଜୟଗାନ୍ଧୀ ବସ୍ତି ଅଞ୍ଚଳରେ ଗରିବ ବିଧବା ନଳିନୀ ସ୍ୱାଇଁ ଙ୍କ ଝିଅ ଜ୍ୟୋଷ୍ଣା ସ୍ୱାଇଁ (୨୦) ମାନସିକ ବିକାରଗ୍ରସ୍ତ ଝିଅ ଲୁହା ଶିକୁଳିରେ ବନ୍ଧା ହୋଇ ରହୁଥିବା ଏବଂ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା l ତେବେ ଖବର ପାଇ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ତଥା ଜଣାଶୁଣା ସମାଜସେବୀକା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଗୁରୁବାର ଦିନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ l ସେ ଏହି ଝିଅକୁ ନିଜସ୍ବ ଚେଷ୍ଟାରେ କିମ୍ସ କିମ୍ବା ଏସସିବି ମେଡିକାଲରେ ଭଲ ଡାକ୍ତର ଙ୍କୁ ଦେଖାଇ ତାର ଚିକିତ୍ସା କରାଇବେ ବୋଲି ପ୍ରତିଶୃତି ଦେଇଥିଲେ l ଏପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ଚିକିତ୍ସା କରାଇ ପ୍ରାୟ ୧୦୦ରୁ ଉର୍ଦ୍ଧ ମାନସିକ ଅସୁସ୍ଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଥିଲେ l ବିଭିନ୍ନ ସ୍ଥାନରେ ମାନସିକ ଅସୁସ୍ଥ ରୋଗୀ ମାନଙ୍କ ଚିକିତ୍ସା ବ୍ୟବସ୍ଥା ରହିଥିଲେ ମଧ୍ୟ ସଚେତନତା ଅଭାବ ଏବଂ ଏମାନଙ୍କୁ ବାହାରକୁ ଛାଡ଼ିଦେବା ଦ୍ୱାରା ଅନେକ ବିଭିନ୍ନ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ସହ ବେସାହାରା ଭାବେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି l ତେବେ ମାନସିକ ଅସୁସ୍ଥ ଜ୍ୟୋଷ୍ଣା ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କ ସହ ଆଲୋଚନା କରାଯାଇ ମାନସିକ ଭିନ୍ନକ୍ଷମ ଭତ୍ତା ଓ ତାଙ୍କ ପାଇଁ ଆବାସ ଯୋଜନା ପାଇଁ ସ୍ଥିର ହୋଇଥିବା ନିଷ୍ପତି ହୋଇଛି ବୋଲି ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଥିଲେ l ଅନ୍ୟପକ୍ଷରେ ଏହି ଅସହାୟ ମାନଙ୍କ ପାଇଁ ମଦର ଟେରେସା ପାଲଟିଥିବା ସ୍ନେହମୟୀ କହିଛନ୍ତି ଯେ ଏହି ସେବା କାର୍ଯ୍ୟ ଦ୍ୱାରା ମୋତେ ଅପୂର୍ବ ଆତ୍ମ ସନ୍ତୁଷ୍ଟି ମିଳିଥାଏ ଏବଂ ଏହା ମୋତେ ଅଧିକ ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇଥାଏ l