Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରାଚୀ ତଟ ଦେଉଳି ମଠ ରୁ ଶ୍ରୀକ୍ଷେତ୍ର କୁ ଗଲା ଅଣସର ଫଳ ଭାର l

କାକଟପୁର ୧୮/୬ :- ( ତୁଷାର ଦୀକ୍ଷିତ ) ଦେବସ୍ନାନ ପୂର୍ଣ୍ଣିମା ରେ ସୁନା କୂଅରୁ ସହସ୍ର କଳସୀ ଜଳରେ ସ୍ନାନ କରି ଜ୍ୱର ହୋଇଥିବା ମହାପ୍ରଭୁ ଙ୍କୁ ଫୁଲୁରୀ ତେଲ ଓ ଚେର ମୂଳି ଔଷଧ ରେ ସାମାନ୍ୟ ସୁସ୍ଥ ହେବାପରେ ଫଳ ମୂଳ ସେବା ଲାଗିଥାଏ l ଏହି ସେବାରେ ପ୍ରାଚୀ କ୍ଷେତ୍ର ମା ମଙ୍ଗଳା ଙ୍କ ପୀଠ ର ଅନବସର ଫଳ ଭାର ଏକ ନିଆରା ପରମ୍ପରା l ପ୍ରଭୁ ଜଗନ୍ନାଥ ବିଶ୍ୱର ଏପରି ଏକ ଠାକୁର ଯାହାଙ୍କର ଈଶ୍ୱରୀୟ ଲୀଳା ଠାରୁ ମାନବୀୟ ଲୀଳା ଅଧିକ ପ୍ରସିଦ୍ଧ l ଏହି ରୀତି ରେ ବାର ମାସରେ ତେର ପର୍ବ ଓ ଅସଂଖ୍ୟ ଭଗବତ ଅନୁଷ୍ଠାନ ଏହି ଜଗନ୍ନାଥ ସଂସ୍କୃତି ର ଅବଦାନ l ଏହି ରୀତିନୀତି ସହ ଉତ୍କଳ ର ବିଭିନ୍ନ ପ୍ରାନ୍ତରେ ଥିବା ବିଭିନ୍ନ ମଠ ମନ୍ଦିର ର ସମ୍ପର୍କ ତଥା ଅନେକ ସେବା ଓ ଖଞ୍ଜାପଡ଼ା ବ୍ୟବସ୍ଥା ରହିଛି l ପୁରାଣ ବର୍ଣିତ ପବିତ୍ର ପ୍ରାଚୀନଦୀ ହେଉଛି ଜଗନ୍ନାଥ କ୍ଷେତ୍ର ର କ୍ଷେତ୍ର ନଦୀ l ପ୍ରାଚୀ ତଟ ରେ ଥିବା ମଠ ଆଶ୍ରମ ଓ ମନ୍ଦିର ଗୁଡିକ ସହିତ ଶ୍ରୀମନ୍ଦିର ର ଅନେକ ସେବା ଜଡିତ l ନବକଳେବର ର ଅନେକ ନୀତିକାନ୍ତି ପ୍ରାଚୀ ତଟ ର ଦେଉଳି ମଠ ରେ ଗୁପ୍ତ ଭାବେ ସମ୍ପାଦିତ ହୋଇଥାଏ l ପୁନଶ୍ଚ ମହାପ୍ରଭୁଙ୍କରବାହାର ଚାପ ଓ ଭିତର ଚାପ ଖେଳ ପରେ ସ୍ନାନପୁର୍ଣିମାରେ ମହାସ୍ନାନ ସାରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜର ହେଇଛି l ଫୁଲୁରୀ ତେଲ ଲାଗି ହୋଇ ଦିଅଁମାନେ ସ୍ୱଳ୍ପ ଆରାମ ଲାଭ କରିଛନ୍ତି l ଏହି ଅବସରରେ ପ୍ରାଚୀ ତଟ ବନଜାଗ ଲୀଳାସ୍ଥଳୀ ଓ ଜଗନ୍ନାଥ ଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ଦେଉଳି ମଠରୁ ଅଣବସର ସେବା ନିମିତ୍ତ ତିନିଟି ଫଳ ଭାର ଶଗଡ଼ ପୁରୀ ଅଭିମୁଖେ ଯାଇଛି l ଖୋଳତାଳ ସଂକୀର୍ତନ ର ତାଳେ ତାଳେ ଗାଁ ଗାଁ ଦେଇ ବିଭିନ୍ନ ଦେବ ପୀଠ ସ୍ପର୍ଶ କରି ସାଜସଜ୍ଜା ହୋଇଥିବା ଶଗଡ଼ ବଳଦ ଓ ଭକ୍ତ ମାନେ ପୁରୀ ଅଭିମୁଖେ ପଦଯାତ୍ରା କରି ଯାଇଛନ୍ତି l ମଠ ବାଡ଼ି ତଥା ଭକ୍ତ ମାନଙ୍କ ପ୍ରଦତ୍ତ ବିଭିନ୍ନ ସୁସ୍ୱାଦୁ ଫଳ, ତୁଳସୀ ଓ ପଦ୍ମଫୁଲ ମାଳ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀକ୍ଷେତ୍ର ଯାଇଛି l ବାଟରେ ପୂର୍ବନିର୍ଧାରିତ ଦେବପୀଠ ମାନଙ୍କରେ ବିଶ୍ରାମ କରିବା ସହ ଭକ୍ତ ମାନେ ନାମ ସଂକୀର୍ତନ କରିବାର କାର୍ଯ୍ୟକ୍ରମ ରହିଛି l ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଦାୟିତ୍ୱରେ ଚାଲି ଆସୁଥିବା ଏହି ପଦଯାତ୍ରା ଅଣସର ସପ୍ତମୀ ରେ ଦେଉଳି ମଠରୁ ବାହାରି ନବମୀ ଦିନ ଶ୍ରୀକ୍ଷେତ୍ର ରେ ପହଂଚିବା ପୂର୍ବକ ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ଚକଡାରେ ଫଳ ପୁଷ୍ପ ଆଦି ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ l ମା ବିମଳାଙ୍କ ପାଖରେ ପଦ୍ମଫୁଲ ଭାର ଅର୍ପଣ କରାଯିବ l ଗତ ତିନି ବର୍ଷ ହେବ ଦେଉଳି ମଠ ଡେଭଲପମେଣ୍ଟ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସୁସଜ୍ଜିତ ଶଗଡ଼ରେ ପାରମ୍ପରିକ ରୀତିନୀତି ରେ ଫଳଭାର ଯିବା ବ୍ୟବସ୍ଥାକୁ ମା ମଙ୍ଗଳା ମନ୍ଦିରର ସେବାୟତ ଗଣ ତଥା ମୁକ୍ତିମଣ୍ଡପ ର ପଣ୍ଡିତ ମାନେ ସ୍ୱାଗତ ଜଣାଇଛନ୍ତି l
